ବାହାର ରାଜ୍ୟକୁ ଲମ୍ବିଛି ଚେର, ଚାଲାଣ ବେଳେ କୋରାପୁଟରୁ 5 ଲକ୍ଷର ଗଞ୍ଜେଇ ଜବତ

ବାହାର ରାଜ୍ୟକୁ ଲମ୍ବିଛି ଚେର, ଚାଲାଣ ବେଳେ କୋରାପୁଟରୁ 5 ଲକ୍ଷର ଗଞ୍ଜେଇ ଜବତ

ବାହାର ରାଜ୍ୟକୁ ଲମ୍ବିଛି ଚେର । ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ବିହାର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ କୋରାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । କୋରାପୁଟ ଜିଲ୍ଲା ପାଡୁଆ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଓଡିଶା ଆନ୍ଧ୍ର ସୀମାନ୍ତ ବାଇଲିଗୁଡା ଓ ହାଟଗୁଡା ରାସ୍ତାରେ ଗଞ୍ଜେଇ ଚୋରାଚାଲାଣ ଖବର ପାଇଥିଲା ପୋଲିସ ।  କୋରାପୁଟ ଏସପି ଏବଂ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ରାତ୍ରି ପାଟ୍ରୋଲିଂ କରୁଥିଲେ । ଠିକ ସେହି ସମୟରେ ଆନ୍ଧ୍ର ପ୍ରଦେଶ ସୀମାନ୍ତ ସୁଡୁବୁ ଅଞ୍ଚଳରୁ ଏକ ଗଞ୍ଜେଇ ଭର୍ତ୍ତି ବୋଲେର ପିକୋପ ଗାଡି ଦ୍ରୁତ ଗତିରେ ଆସୁଥିବା ନେଇ ପାଡୁଆ ପୋଲିସ ହାଟଗୁଡା ଛକ ନିକଟରେ ଅଟକ ରଖି ଗାଡିକୁ ଯାଞ୍ଚ କରିଥିଲେ । ଗାଡି ସହ ବିହାର ଅଞ୍ଚଳର ୨ଜଣ ମାଫିଆଙ୍କୁ ଗିରଫ କରିବା ସହ ଗଞ୍ଜେଇ ଭର୍ତ୍ତି ବୋଲେର ପିକୋପ ଗାଡିକୁ ପାଡୁଆ ଥାନାକୁ ଆଣିଥିଲେ ପୋଲିସ । ଗାଡ଼ିରେ ଥିବା 144 କିଲୋ 700 ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି ପାଡୁଆ ପୋଲିସ ପକ୍ଷରୁ କୁହାଯାଇଛି ।ଅନ୍ୟପଟେ ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ବିହାର ଅଞ୍ଚଳର ସନ୍ତୋଷ କୁମାର ଯାଦବ ଓ ମାଲୁ କୁମାର ଯାଦବକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ  । ଅଧିକ ତଦନ୍ତ ପରେ 2 ଜଣକୁ  କୋର୍ଟ ଚାଲାଣ କରାଯିବ ବୋଲି ପାଡୁଆ ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *