ଝାଡ଼ଖଣ୍ଡର ଧନବାଦରେ ହୋଲିର ରଂଗ ଫିକା ପଡ଼ିଯାଇଛି । ସଢ଼େଇଢେଲା ଥାନା ଅଂଚଳରେ ଥିବା ଏକ ପରିବା ବଜାରରେ ଅଚାନକ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୪୦ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ପୋଡ଼ିଯାଇଥିବା ଅନୁମାନ କରାଯାଉଛି ।
ଅଗ୍ନିକାଣ୍ଡ ଯୋଗୁଁ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଧିକ ଚିକିତ୍ସା ଲାଗି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଦ୍ରୁତଗତିରେ ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳିବାକୁ ଲାଗିଥିଲା । ନିଆଁର ଭୟଙ୍କର ରୂପ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ସୂଚନା ମିିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ଥିଲେ । ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିପାରିଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୧ ହଜାର ହାଇଭୋଲଟେଜ୍ର ବିଦ୍ୟୁତ ଲାଇନ ପରିବା ମଣ୍ଡି ଉପରେ ଦେଇ ଯାଇଛି । ଏହି ବିଦ୍ୟୁତ ତାରରୁ ନିଆଁ ହୁଲା ଗ୍ୟାସ ସିଲିଣ୍ଡର ଥିବା ଦୋକାନ ଉପରେ ପଡ଼ିଥିଲା । ଫଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ନିଆଁ ଚାରିଆଡେ ବ୍ୟାପିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି । କାରଣ ସ୍ପଷ୍ଟ ହୋଇପାରି ନାହିଁ ।
