ଆଇପିଏଲକୁ ଘାରି ପାରେ କରୋନା ଭୟ

ଆଇପିଏଲକୁ ଘାରି ପାରେ କରୋନା ଭୟ

ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ସଂସ୍କରଣ । ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି । ପ୍ରତିଦିନ ଦେଶରୁ ୬୦୦୦୦ ରୁ ଉର୍ଦ୍ଧ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ସୂଚାରୁ ରୂପେ ଆଇପିଏଲକୁ ଆୟୋଜନ କରିବା ହେବ ବିସିସିଆଇ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ । ଆଇପିଏଲକୁ ଆଉ ୧୦ ଦିନ ବାକି ଥିବା ବେଳେ ସମସ୍ତ ଦଳ ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସମସ୍ତ ଦଳର ଖେଳାଳି ଏବଂ ସପୋଟ ଷ୍ଟାଫ ଦଳ ସହ ଯୋଗ ଦେବା ପରେ ସାତ ଦିନିଆ କ୍ୱାରେଣ୍ଟିନରେ ରହିବା ନିମନ୍ତେ ବାଧ୍ୟତାମୂଳକ ରଖାଯାଇଛି । ଏହି ସାତ ଦିନର କ୍ୱାରେଣ୍ଟିନ ଅବଧି ମଧ୍ୟରେ ତିନିଥର କରୋନା ପରୀକ୍ଷା କରିବା ନିମନ୍ତେ ବିସିସିଆଇ ପକ୍ଷରୁ କୁହାଯାଇଛି । ଏହା ସହ ବାୟୋ ବବଲ ମଧ୍ୟରେ ରହିଥିବା ବେଳେ ସମସ୍ତ ନିୟମାବଳୀକୁ ମାନିବା ନିମନ୍ତେ ଖେଳାଳିଙ୍କୁ କୁହାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ , ଚେନ୍ନାଇ ସୁପର କିଙ୍ଗସ ଆଦି ଦଳର କିଛି କିଛି ଖେଳାଳି ସେମାନଙ୍କ କ୍ୱାରେଣ୍ଟିନ ଅବଧି ସାରି ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇ ସାରିଛନ୍ତି । ନିକଟରେ ରାୟପୁରରେ ଖେଳାଯାଇଥିବା ରୋଡ ସେଫଟି ୱାର୍ଲଡ ସିରିଜରେ ଅଂଶ ଗ୍ରହଣ କରିଥିବା ଚାରି ଜଣ ଭାରତୀୟ ଲିଜେଣ୍ଡସ ଦଳର ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା ଖେଳାଳି ମାନେ ହେଲେ ସଚ୍ଚିନ ତେନ୍ଦୁଲକର, ୟୁସୁଫ ପଠାନ, ସୁବ୍ରମଣ୍ୟମ ବଦ୍ରିନାଥ ଏବଂ ଇର୍ଫାନ ପଠାନ । ପୂର୍ବ ବର୍ଷ ମହାମାରୀ କରୋନ ଯୋଗୁଁ ବିନା ଦର୍ଶକରେ ଖେଳାଯାଇଥିଲା ଏହି ମେଗା ଇଭେଣ୍ଟ । କିନ୍ତୁ ଚଳିତ ବର୍ଷ ଏହି ଆଇପିଏଲରେ ବିନା ଦର୍ଶକରେ ଖେଳାଯିବ କିମ୍ବା ପଡିଆ ମଧ୍ୟରେ ଫ୍ୟାନ ମାନଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବ ସେ ସର୍ମ୍ପକରେ ଭାରତୀୟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇ ନାହିଁ । ମାତ୍ର ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବ ବର୍ଷ ପରି ବିନା ଦର୍ଶକରେ ଖେଳାଯିବାର ବହୁ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *