କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ପାଇଁ ଯିବେ

କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ପାଇଁ ଯିବେ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବ । ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ୪ ଜଣିଆ ଟିମ ପଶ୍ଚିମବଙ୍ଗ ଯିବ ବୋଲି ଜଣାଯାଇଛି ।

ଜଣେ ଅତିରିକ୍ତ ସଚିବସ୍ତରରେ ଅଧିକାରୀଙ୍କ ନେତୃତ୍ୱରେ ଉକ୍ତ ଟିମ ପଶ୍ଚିମବଙ୍ଗ ଯିବ । ତୃଣମୂଳ ସ୍ତରକୁ ଯାଇ ଉକ୍ତ ଟିମ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଲାଗିରହିଥିବା ନିର୍ବାଚନ ପରବର୍ତ୍ତୀ ହିଂସାଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅତ୍ୟନ୍ତ କ୍ଷୁବ୍ଧ ହୋଇଛି। ମନ୍ତ୍ରଣାଳୟ ସଚିବ ରାଜ୍ୟକୁ ପତ୍ରଲେଖି କଡା ଚେତାବନୀ ଦେଇଛନ୍ତି।

ଚଳିତମାସ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ପଶ୍ଚିମବଙ୍ଗରେ ଯେଉଁଭଳି ହିଂସା, ପୋଡାଜଳା ଘଟଣା ଘଟିଛି ଯାହାକି ମହାମାରୀ ମଧ୍ୟରେ ଅତି ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

ମମତା ବାନାର୍ଜୀ ରାଜ୍ୟରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଆଉ ଏକ ପତ୍ର ଲେଖିଛନ୍ତି। ଏଥିରେ ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସା ରୋକିବା ଦିଗରେ କି ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ କାହିଁକି କେନ୍ଦ୍ରକୁ ଜବାବ ଦିଆଯାଇନାହିଁ, ତାହାର କାରଣ ମଗାଯାଇଛି ।

ଶ୍ରୀ ଭାଲ୍ଲା କହିଛନ୍ତି ଏପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଥମ ଚିଠିର ଜବାବ ଦେଇନଥିବାରୁ ଏହି ଦ୍ୱିତୀୟ ଚିଠିକୁ ଗୁରୁତ୍ୱର ସହିତ ଗ୍ରହଣ କରିବାକୁ ହେବ। ହିଂସା ରୋକିବାକୁ କାହିଁକି ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ତାହା ଜାଣିବାକୁ ମଧ୍ୟ ଚାହିଁଛନ୍ତି ।

ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଏହା ନିଜର ଉପ ମହାନିରୀକ୍ଷକ (ତଦନ୍ତ)ଙ୍କୁ ଏକ ଦଳ ଗଠନ କରି ଘଟଣାର ଅନୁଧ୍ୟାନ କରିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *