
କରୋନା ସଂକଟ ଯୋଗୁଁ ରାଜସ୍ଥାନ ସରକାର ରାଜ୍ୟରେ ଆସନ୍ତା ୧୦ ତାରିଖ ଠାରୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ସରକାର ଘୋଷଣା କରିଛନ୍ତି ଯେ, ରାଜସ୍ଥାନରେ ଜନ ଅନୁଶାସନ ପକ୍ଷ ମେ’ ୧୦ ତାରିଖ ସକାଳ ୫ଟାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ରହିବ । କେବଳ ଏତିକି ନୁହେଁ ରାଜ୍ୟରେ ଚଳିତ ମାସ ୩୧ ତାରିଖ ଯାଏଁ ବିବାହ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିବ ।
ଜନ ଅନୁଶାସନ ପକ୍ଷରେ ରାଜ୍ୟରେ ବିବାହ ସଂପର୍କିତ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ । ବିବାହରେ ଡିଜେ, ବରଯାତ୍ରୀ ଏବଂ ପ୍ରୀତିଭୋଜନ ଦିଆଯାଇ ପାରିବ ନାହିଁ । କେବଳ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିହେବ । ଏଥିରେ କେବଳ ୧୧ ଜଣ ସାମିଲ ହୋଇପାରିବେ । କୋର୍ଟରେ ବିବାହ ପାଇଁ କୌଣସି କଟକଣା ନାହିଁ ।
ବିବାହ ବଗିଚା, ମଣ୍ଡପ, ହଲ, ହୋଟେଲ ପରିସର ବିବାହ ପାଇଁ ବନ୍ଦ ରହିବ । ବିବାହ ସ୍ଥଳ ମାଲିକ ଟେଣ୍ଟ ବ୍ୟବସାୟୀ, କ୍ୟାଟରିଙ୍ଗ ପରିଚାଳକ ଓ ବ୍ୟାଣ୍ଡ ଜନିତ ଅଗ୍ରୀମ ଟଙ୍କା ଫେରାଇବାକୁ ପଡ଼ିବ ଅର୍ଥାତ ପରେ ବିବାହ କଲେ ଆପୋଷ ସମାଧାନ କରିବାକୁ ହେବ । ଅନ୍ୟ ସବୁ ଧାର୍ମିକ ସ୍ଥଳକୁ ମଧ୍ୟ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଛି । ଗ୍ରାମାଂଚଳରେ ଶ୍ରମିକମାନେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ମନରେଗା କାମକୁ ବନ୍ଦ ରଖାଯାଇଛି ।