
ଦୀର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ବିବାଦ ଆଜି ଉଗ୍ର ରୂପ ଧାରଣ କରିଛି । ବିବରଣୀ ରୁ ପ୍ରକାଶ ଯେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଗ୍ରାମ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ନିଜ ଗ୍ରାମ ଅଟେ।ଦୀର୍ଘ ଦିନ ରୁ କେଶପୁର ରେ ବିଧାୟିକା ଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି ।
ବିଗତ ଦିନରେ ଉଭୟ ପକ୍ଷ ଙ୍କ ମଧ୍ୟରେ ସଂଘର୍ଷ ଘଟି ବହୁ ଲୋକ ଆହତ ହେବା ସହ ଏ ସମ୍ପର୍କରେ ମାଲି ମକଦ୍ଦମା ଚାଲୁ ରହିଛି । ଗତ ତିନି ଦିନ ତଳେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିବା ନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜ୍ଜୁ ହୋଇଛି ।ବିଧାୟିକା ଙ୍କ ବିପକ୍ଷ ଗୋଷ୍ଠୀ ର କ୍ରମାଗତ ଆକ୍ରମଣ ଅଭିଯୋଗ ନେଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଧାୟିକାଙ୍କ କିଛି ସମର୍ଥକ ଆଜି ଗଞ୍ଜାମ ଏସ୍ପି ଙ୍କୁ ଦାବିପତ୍ର ପ୍ରଦାନ ପାଇଁ ଯାଇଥିଲେ । ସେମାନେ ସେଠାରୁ ଫେରି କେଶପୁର ମାଛ ମାର୍କେଟ ଠାରେ ଓହ୍ଲାଇ ଗାଁ କୁ ଯିବା ପାଇଁ ଉଦ୍ୟତ ହେଉଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ବାଇକ ରେ ଉକ୍ତ ଗ୍ରାମର ପ୍ରତିପକ୍ଷ ଗୋଷ୍ଠୀ ର କିଛି ଯୁବକ ହାତରେ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ଫିଲ୍ମ ଷ୍ଟାଇଲରେ ମୋହନ ମଲ୍ଲିକ ଓ ସୀମାଞ୍ଚଳ ବେହେରା ଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଥିଲେ । ଫଳରେ ଉଭୟେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ନିକଟରେ ଥିବା ଦମକଳ ବାହିନୀ ଆହତ ମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି ।ସେଠାରୁ ଆକ୍ରମଣ କାରୀ ମାନେ ଅଧିକ କ୍ରୋଧାନ୍ୱିତ ହୋଇ ଖଲ୍ଲିକୋଟ ଆସି ସ୍ପଷ୍ଟ ଦିବାଲୋକ ରେ ବିଧାୟିକା ଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ ।ବିଧାୟିକା ଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ନ ପାଇ ଘର ର ସମ୍ମୁଖଭାଗ କାଚ ଭଙ୍ଗାରୁଜା କରିବା ସହ ଘର ଆଗରେ ଥିବା ଏକ ସ୍କୁଟି ଓ ବାଇକ ସହ କମ୍ପାଉଣ୍ଡରେ ଥିବା ପିଏସ୍ଓ ଙ୍କ ବାଇକ କୁ ଭାଙ୍ଗି ଦେଇଛନ୍ତି ।
ଘଟଣା ସ୍ଥଳରେ ଖଣ୍ଡା ର ଭଗ୍ନାବଶେଷ ପଡି ରହିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ କ୍ରମେ ବିଧାୟିକା ଘରେ ଅନୁପସ୍ଥିତ ଥିବାରୁ ନିଶ୍ଚିତ ଆକ୍ରମଣ ରୁ ବର୍ତ୍ତି ଯାଇଛନ୍ତି । ଅପର ପକ୍ଷେ ଆଜି ତୁଳସୀପୁର ଠାରେ ସୁଜ୍ଞାନ ଦେବୀଙ୍କ ଜନ୍ମ ଦିନ ଅବସରରେ ରକ୍ତ ଦାନ ଶିବିର ଚାଲିଥିବା ରୁ ବିଧାୟିକା ଙ୍କ ସ୍ୱାମୀ ଦୈତାରୀ ବେହେରା ଙ୍କ ସମେତ ସ୍ଥାନୀୟ ବିଜେଡି ର ନେତା ଓ କର୍ମୀ ଉପସ୍ଥିତ ଥିବା ରୁ ନିଶ୍ଚିତ ଆକ୍ରମଣ ରୁ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ର ଖବର ପାଇ ବହୁ ସଂଖ୍ୟାରେ ବିଜେଡି କର୍ମୀ ରୁଣ୍ଡ ହୋଇ ଏଭଳି ଆକ୍ରମଣ ର ନିନ୍ଦା କରୁଥିବା ର ଦେଖା ଯାଇଥିଲା । ସେପଟେ କେଶପୁର ଗ୍ରାମରେ ବିରୋଧୀ ଙ୍କ ଦ୍ବାରା ବିଧାୟିକା ଙ୍କ ସମର୍ଥକ ଙ୍କୁ ଭୟଭୀତ କରିବା ପାଇଁ ଘନ ଘନ ବୋମା ମାଡ଼ ହୋଇଛି । ଗ୍ରାମରେ ପୋଲିସ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଚଳାଇ ଥିବାର ସୂଚନା ମିଳିଛି । ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ସଦଳବଳେ ବିଧାୟିକାଙ୍କ ବାସଭବନରେ ପହଞ୍ଚି ଘଟଣା ର ଅନୁସନ୍ଧାନ ଜାରି ରଖିଛନ୍ତି । ପୋଲିସ ଯଦି ଉକ୍ତ ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଆଗାମୀ ଦିନରେ ସେଠାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି ।