
ଶିବ ସେନାରେ ବିଦ୍ରୋହ ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଅଘାଡ଼ି (ଏମ୍ଭିଏ) ସରକାର ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ତାଙ୍କ ଜିଦରେ ଅଟଳ ରହିଛନ୍ତି। ଏନ୍ସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହିତ ଶିବ ସେନା ପୁଣି ହାତ ମିଳାଇବାକୁ ଦାବି କରିଛନ୍ତି। ତାଙ୍କ ପ୍ରତି ଦଳୀୟ ବିଧାୟକମାନଙ୍କ ସମର୍ଥନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଅସହାୟ ହୋଇ ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କ ପଦରୁ ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି। ଆଜି ସନ୍ଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ବାସଭବନ ଛାଡ଼ି ନିଜ ପାରିବାରିକ ଘରକୁ ଫେରି ଯାଇଛନ୍ତି। ଯେକୌଣସି ମୁହୂର୍ତ୍ତରେ ସେ ଇସ୍ତଫା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଆବାସ ଖାଲି କରିବା ସମୟର କିଛି ଫଟୋ ଏବେ ସାମନାକୁ ଆସିଛି । ଏଥିରେ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ନିଆଯାଉଥିବା ଦେଖିବାକୁ ମିଳୁଛି। ଶିବସେନା ସୂତ୍ର ଅନୁସାରେ, ଉଦ୍ଧବ ଠାକରେ କିଛି ସମୟ ମଧ୍ୟରେ ବର୍ଷା ବଙ୍ଗଳା ଖାଲି କରିପାରନ୍ତି।