
ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମ ତେଜପୁର ବାୟୁସେନା ଷ୍ଟେସନରୁ ବାୟୁସେନାର ପୋଷାକରେ ଉଡାଣ ଭରିଲେ ରାଷ୍ଟ୍ରପତି । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇରେ ଚଢ଼ିଥିଲେ ।
ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ । ଏହା ଆଗରୁ ରାଷ୍ଟ୍ରପତି ଥିବା ବେଳେ ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ଏପିଜେ ଅବଦୁଲ କଲାମ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ । ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ବେଗରେ ଗତି କରିପାରେ । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ତେବେ ଗତକାଲି ରାଷ୍ଟ୍ରପତି କାଜିରଙ୍ଗା ନ୍ୟାସନାଲ ପାର୍କରେ ଆୟୋଜିତ ଗଜ ଉତ୍ସବରେ ଯୋଗଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗତ ୬ ତାରିଖରୁ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।