
ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମ ନିକଟ ସମୁଦ୍ରରେ ଗାଧୋଇବା ବେଳେ ସମୁଦ୍ର ପାଣିରେ ବୁଡ଼ିଯିବା ଘଟଣାରେ ନିଖୋଜ ଛାତ୍ରୀଙ୍କ ମୃତ ଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପ୍ରଜ୍ଞାରାଣୀଙ୍କ ମୃତଦେହକୁ ଓଡ୍ରାଫ ବାହିନୀ ଓ ଛତ୍ରପୁର ଫାୟର ଟିମ ଘଟଣା ସ୍ଥଳରୁ ଉଦ୍ଧାର କରିଛି। ଗୋପାଳପୁର ତଟରକ୍ଷୀ ବାହିନୀର ସୁପାରିସ କ୍ରମେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶରେ ଏୟାରକ୍ରାଫ୍ଟର ଏକ ଟିମ୍ ଆର୍ଯ୍ୟପଲ୍ଲୀ ବେଳାଭୂମିର ସମୁଦ୍ର ଉପରେ ଖୋଜା ଖୋଜି ପରେ ନିଖୋଜ ଛାତ୍ରୀଙ୍କ ମୃତଦେହ ସମୁଦ୍ର କୂଳରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଓଡ୍ରାଫ୍ ଓ ଫାୟାର ଟିମ୍ ତୁରନ୍ତ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଅତିରିକ୍ତ ତହସିଲଦାର ଶୁଭଦର୍ଶନ ସାହୁ, କୋଷ୍ଟଗାର୍ଡ କମାଣ୍ଡେଣ୍ଟ ପ୍ରତୀକ ମୋଡାକ୍, ଫାୟାର ଅଫିସର ଏସ୍କେ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ ପ୍ରଜ୍ଞାରାଣୀ ତ୍ରିପାଠୀ ଗଂଜାମ ଜିଲ୍ଲା ଶେରଗଡ଼ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର କଳାରେ ଯୁକ୍ତ ୨ ଦ୍ବୀତୟୀ ବର୍ଷର ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଦେଇଥିଲେ। ସକାଳୁ ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ଗାଧୋଇବାକୁ ଆସିଥିଲେ। ଗାଧୋଇବା ସମୟରେ ସମସ୍ତେ ବୁଡ଼ିଯାଇଥିଲେ। କିଛି ସମୟରେ ସେମାନଙ୍କ ମଧ୍ୟରୁ ଚାନ୍ଦିନୀ ପଣ୍ଡିତ, ସୋନାଲି ପଣ୍ଡିତ, ଶ୍ବେତାରାଣୀ ଦାସ ଓ ଶୁଭମ ତ୍ରିପାଠୀଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସକାଳେ କନିଷିର ସ୍ୱପ୍ନାରାଣୀ ପଣ୍ଡିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା।