
କୋସଲ ସେନା କର୍ମୀଙ୍କୁ ମିଥ୍ୟା କେସରେ ଜେଲ ପଠେଇବା ଘଟଣାକୁ ନେଇ ଶନିବାର ଏସପି ଙ୍କୁ ଘେରାଓ କରିଛି କୋସଲ ସେନା । ବରଗଡ଼ ଜିଲ୍ଳା ସମେତ ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତରୁ କୋସଲ ସେନାର କର୍ମୀମାନେ ସାମିଲ ହୋଇ ଗିରଫ ଦୁଇ କର୍ମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବି କରିଥିଲେ । ସେହିପରି କୋସଲ ସେନାର ଅନିଲ ଭୁଏଙ୍କ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରାଯାଇଛି । ଗତ ୨୨ ତାରିଖରେ ଭେଡେନ ବ୍ଳକ ଅନ୍ତର୍ଗତ ଖୁଣ୍ଟଲିପାଲିରେ ଅପେରା ବେନର ଚିରାକୁ ନେଇ କୋସଲ ସେନାର ରମଣୀ ଦନ୍ତା, ସୌମ୍ୟକାନ୍ତ ଦାଶ ଏବଂ ଅବିନାଶ ବିଶିଙ୍କ ନାମରେ ମିଥ୍ୟା କେସ କରାଯିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସକାଳ ୧୦ ଟାରୁ କୋସଲ ସେନାର କର୍ମୀମାନେ ବରଗଡ଼ ଏସପି ଅଫିସ ସମ୍ମୁଖରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋସଲର ଏହି ଆନ୍ଦୋଳନକୁ ବିଜେପି , କଂଗ୍ରେସ ସମେତ ବିଭିନ୍ନ ସଂଗଠନ ତରଫରୁ ସମର୍ଥନ ଦିଆଯାଇଥିଲା । କଂଗ୍ରେସ ଜିଲ୍ଳା ସଭାପତି ନିହାର ରଞ୍ଜନ ମହାନନ୍ଦ , ବିଜେପି ଜିଲ୍ଳା ସଭାପତି ଅଶ୍ୱିନୀ ଷଡଙ୍ଗୀ, କଂଗ୍ରେସ ନେତା ନିପନ ଦାଶ, ଆଇନଜିବୀ ଲିପସିତ ମିଶ୍ର, ଆଇନଜିବୀ ସୁରେନ୍ଦ୍ର ପଣ୍ଡା, ଭବାନୀ ପ୍ରସାଦ ସାହୁ ସମେତ ବିଭିନ୍ନ ସଂଗଠନର ନେତୃବର୍ଗ ସାମିଲ ହୋଇଥିଲେ । ଏ ଅବସରରେ କୋସଲ ସେନା ତରଫରୁ ଅତିରିକ୍ତ ଏସପି ତପନ କୁମାର ମହାନ୍ତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।