
ମାତିଛନ୍ତି ସାଇବର ଠକ । ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି 2020 କରୋନା ଲକଡାଉନ ସାଇବର ଠକଙ୍କୁ ସୁହାଇଛି । ଅନେକ ବ୍ୟକ୍ତି ସାଇବର ଠକ ଙ୍କ ହାବୁଡରେ ପଡି ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ବିଷୟ ଉପରେ ଛୋଟ ବିଶ୍ଲେଷଣ କରିବୁ ଯାହା ଆପଣଙ୍କ ଟଙ୍କା ସହ ଜଡିତ ରହିଛି । ରାଜ୍ୟରେ ପାଖାପାଖି ବର୍ଷକ ମଧ୍ୟରେ ପ୍ରାୟ 22 ଶହ 50 ଅପରାଧ ଘଟିଛି ।

ଆମେ ଡିଜିଟାଲ ଯୁଗରେ ପାଦ ଦେଲେଣି । ସମୟ ଆଉ ଟେକ୍ନୋଲୋଜୀ ସହ ଆମେ ଯେତେ ଆଗକୁ ବଢୁଛୁ ସାଇବର ଅପରାଧ ସେତେ ବଢୁଛି । ତେବେ 2019 ମସିହାରେ ରାଜ୍ୟରେ ସାଇବର ଅପରାଧ 1485 ରହିଥିଲା । ବର୍ଷକ ମଧ୍ୟରେ ଏହା ଦେଢ ଗୁଣ ବଢିଛି । ଏହାକୁ ନେଇ ଏବେ କ୍ରାଇମବ୍ରାଞ୍ଚର ଚିନ୍ତା ବଢିଛି । ଅନଲାଇନ ଠକେଇ ପରେ ତୁରନ୍ତ ସାଇବର ସେଲରେ ଏତଲା ହେଉନାହିଁ । ସେହି ଅଳ୍ପ ସମୟ ଭିତରେ ଅପରାଧୀ ଅନଲାଇନ ସପିଂ ସାଇଟରୁ ମୂଲ୍ୟବାନ ଜିନିଷ କିଣି ନେଉଛନ୍ତି । ଏହି ଠକେଇ ଟଙ୍କାରେ ସୁନା ଗହଣା, ଦାମୀ ମୋବାଇଲ, ଲାପଟପ୍ ଓ ଅନ୍ୟନ୍ୟ ସାମଗ୍ରୀ କିଣୁଛନ୍ତି ଅପରାଧୀ । କ୍ରାଇମବ୍ରାଞ୍ଚକୁ ଏପରି ସୂଚନା ମିଳିଛି । 2021 ମସିହା ଆରମ୍ଭରୁ ଏବେ ଯାଏଁ 280 ଟି ସାଇବର ଅପରାଧ ଘଟିଲାଣି । ଯାହା ବର୍ତ୍ତମାନ ମୁଖ୍ୟ ସମସ୍ୟା ପାଲଟିଛି । ତେଣୁ ଇମେଲ ମାଧ୍ୟମରେ ଠକେଇ ଶିକାର ହୋଇଥିବା ବ୍ୟକ୍ତି ତୁରନ୍ତ ଅଭିଯୋଗ କରିପାରିବେ ବୋଲି କ୍ରାଇମବ୍ରାଞ୍ଚ ପଦକ୍ଷେପ ନେଇଛି ।

ସାଇବର ଅପରାଧି ନିମିଷକେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ନୂଆ ନୂଆ ନମ୍ବରରେ ଫୋନ କରି ଗ୍ରାହକଙ୍କୁ କେତେବେଳେ ଆକର୍ଷଣୀୟ ଅଫର ଦେବା ଲୋଭ ଦେଖାଇଥାନ୍ତି । ଏପରି କି ଆପଣଙ୍କୁ ପୁରସ୍କାର ମଧ୍ୟ ମିଳିବ କୁହନ୍ତି । କେତେବେଳେ ଆମେ ଆପଣଙ୍କ ବ୍ୟାଙ୍କରୁ କହୁଛୁ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଡିଟେଲସ ଦିଅନ୍ତୁ କହିଥାନ୍ତି । ଡେବିଟ କାର୍ଡ, କ୍ରେଡିଟ କାର୍ଡ ପାସଓ୍ୱାଡ ମାଗନ୍ତି । ଏପରି ବୁଦ୍ଧି ପ୍ରୟୋଗ କରି ସାଇବର ଠକ ପ୍ରତିଦିନ ଅନେକ ଲୋକଙ୍କ ଆକାଉଣ୍ଟରେ ଥିବା ଟଙ୍କା ଖାଲି କରିଦେଉଛନ୍ତି । ଏଥିରେ ଅନେକ ସାଧାରଣ ବ୍ୟକ୍ତି ଠକେଇର ଶୀକାର ହେଉଛନ୍ତି । ଏଭଳି ସାଇବର ଅପରାଧ ରୋକିବାକୁ କ୍ରାଇମବ୍ରାଞ୍ଚ 24 ଘଣ୍ଟିଆ ଫୋନ ସେବା ଆରମ୍ଭ କରିବାକୁ ଯାଉଛି ।
କେବଳ ସାବଧାନତା ହିଁ ଆମକୁ ଏହି ସାଇବର ଠକେଇରୁ ରକ୍ଷା କରିପାରିବ । ଆପଣଙ୍କୁ ଯଦି କେହି ଏପରି ଫୋନ କରି ଆପଣଙ୍କ ଆକାଉଣ୍ଟ, ଡେବିଟ କାର୍ଡ, କ୍ରେଡିଟ କାର୍ଡ, ଫୋନ ପେ, ଗୁଗୁଲ ପେ ଡିଟେଲସ ମାଗନ୍ତି ତେବେ ଦିଅନ୍ତୁ ନାହିଁ । ତୁରନ୍ତ କ୍ରାଇମବ୍ରାଞ୍ଚକୁ ଇମେଲ କରି ଏ ସମ୍ପର୍କରେ ଜଣାନ୍ତୁ ।
”

