
ଜମ୍ମୁ କଶ୍ମୀର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ଦୀର୍ଘ ଦେଢ଼ ବର୍ଷ ପରେ ରାଜ୍ୟରେ ପୁଣି ଥରେ ୪-ଜି ମୋବାଇଲ ଇଣ୍ଟରନେଟ ସେବା ସ୍ୱଭାବିକ କରିଛି । ମୁଖ୍ୟ ସଚିବ (ବିଦ୍ୟୁତ ଓ ସୂଚନା) ରୋହିତ କଂସଲ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ୨୦୧୯ ଅଗଷ୍ଟ ୫ ତାରିଖ ଠାରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା । ମାତ୍ର ଗତ ବର୍ଷ ଜାନୁଆରୀ ୨୫ ତାରିଖରେ ୨ଜି ସେବା ପୁଣି ଥରେ ଆରମ୍ଭ ହୋଇଥିଲା । ସାଧାରଣ ଜନଜୀବନ ସ୍ୱଭାବିକ ହେବା ପରେ ଏବେ ୪ଜି ଇଣ୍ଟରନେଟ ସେବାରୁ କଟକଣା ହଟାଇ ଦିଆଯାଇଛି । ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ କଶ୍ମୀରରେ ୪ଜି ସେବା ଆରମ୍ଭ ପାଇଁ ଅପିଲ କରିଥିଲେ । ଏବେ ଏହି ବହୁପ୍ରତିକ୍ଷୀତ ସେବା ଆରମ୍ଭ ହୋଇଯିବା ପରେ ଅବଦୁଲା ଖୁସି ଅନୁଭବ କରିଛନ୍ତି । ଏହା ପୂର୍ବରୁ ଗତ ବର୍ଷ ଜମ୍ମୁ କଶ୍ମୀରର ସଂବେଦନଶୀଳ ଅଂଚଳରେ ପରୀକ୍ଷାମୂଳକ ଭାବେ ୪ଜି ସେବା ଆରମ୍ଭ କରାଯାଇଥିଲା । ଏହା ପରେ ପୂରା ରାଜ୍ୟରେ ଏହି ସେବା ପୁଣି ଜାରି କରାଯାଇଛି । ୨୦୨୦ ମେ’ ୬ ତାରିଖରେ ପୁଲୱାମା ଏନକାଉଣ୍ଟରରେ ହିଜବୁଲର କମାଣ୍ଡର ରିୟାଜ ନାଇକୁ ମୃତ୍ୟୁ ପରେ ୨ଜି ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରି ଦିଆଯାଇଥିଲା ।