
ସବୁ ବର୍ଷ ଭଳି ଚଳିତ ବର୍ଷ ବି ଜାନୁଆରୀ ୨୬ ରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏବର୍ଷ କିନ୍ତୁ କରୋନା କଟକଣା ଭିତରେ ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିବାରୁ ଲୋକଙ୍କ ଭିଡ ଜମିବ କି ନାହିଁ ତାକୁ ନେଇ ଦ୍ୱନ୍ଦ ରେ ରହିଥିଲେ ବ୍ୟବସାୟୀ ।
ପୁରାତନ ଆଦିବାସୀ ପରମ୍ପରା, ଖାଦ୍ୟ ପାନୀୟ, ଜୀବନଶୈଳୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଗୁଡିକୁ ଅଧିକ ଲୋକ ଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଥାଏ । ତେବେ ଚଳିତ ବର୍ଷ ଆଦିବାସୀ ମହିଳାଙ୍କ ହାତ ତିଆରି ବଡ଼ି-ପାମ୍ପଡ଼ ପାଇଁ ଲୋକଙ୍କ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି। ସାଧାରଣ ଭାବରେ ଅତି ସହଜରେ ବଜାରରେ ଏହି ସବୁ ଜିନିଷ ମିଳିଥାଏ ହେଲେ ଆଦିବାସୀ ମେଳାରେ ମିଳୁଥିବା ଏହି ବଡ଼ି-ପାମ୍ପଡ଼ ର ସ୍ୱାଦ କିଛି ଅଲଗା ବୋଲି ଅନେକ ଗ୍ରାହକ ମତ ରଖିଛନ୍ତି ।
ଓଡ଼ିଆ ଘରର ଖାଦ୍ୟ ଭିତରେ ବଡ଼ି ଚୂରାର ବେଶ୍ ଚାହିଦା ରହିଆସିଛି ଆଉ ଯଦି ସେହି ବଡ଼ି ଆମ ରାଜ୍ୟର ଜନଜାତି ମହିଳା ମାନଙ୍କ ହାତରେ ତିଆରି ହୋଇ ଏତେ ସହଜରେ ଲୋକଙ୍କ ପାଖରେ ଉପଲବ୍ଧ ହୋଇ ପାରୁଛି ତାହାଲେ ସେହି ବଡ଼ି-ପାମ୍ପଡ଼ ନେବା ପାଇଁ ଲୋକଙ୍କ ଭିଡ଼ ଜମିବା ତ ସ୍ୱାଭାବିକ୍ ।
କେନ୍ଦୁଝର ପ୍ରସିଦ୍ଧ ବଡ଼ି ପାମ୍ପଡର ୪-୫ଟି ଷ୍ଟଲ ଚଳିତ ବର୍ଷ ଆଦିବାସୀ ମେଳାରେ ଲାଗିଛି । ଏବଂ କରୋନା ସମୟରେ ବି ଆଦିବାସୀ ମେଳା ବୁଲିବା ପାଇଁ ଲୋକଙ୍କ ଭିଡ ଜମିବା ସହିତ ଏହି ଷ୍ଟଲ ଗୁଡିକ ଆଗରେ ବି ଲୋକଙ୍କ ଅଧିକ ଭିଡ ଦେଖିବାକୁ ମିଳୁଛି । ଅନ୍ୟପଟେ ବିଭିନ୍ନ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ମହିଳାମାନେ ଏହି ବଡ଼ି-ପାମ୍ପଡ ତିଆରି କରି ବିକ୍ରି କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି ବୋଲି ମତ ରଖିଛନ୍ତି ।