
ବାଂଲାଦେଶ ବିପକ୍ଷରେ ୱେଷ୍ଟଇଣ୍ଡିଜ ୨ଟି ଟେଷ୍ଟମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ମ୍ୟାଚ ଜିତି ଇତିହାସ ରଚିଛି । ବାଂଲାଦେଶର ଚଟଗାଁରେ ଖେଳାଯାଇଥିବା ଏହି ମ୍ୟାଚରେ ୩୯୫ ରନର ବିଜୟ ଲକ୍ଷ୍ୟ ହାସଲ କରିବା ସହିତ ୱେଷ୍ଟଇଣ୍ଡିଜ ଅନେକ ରେକର୍ଡ ପ୍ରତିଷ୍ଠା କରିଛି । ଏଥି ସହିତ ଏସିଆରେ ସବୁଠାରୁ ବଡ଼ ଲକ୍ଷକୁ ହାସଲ କରିଥିବା ଟିମ ଭାବେ ରେକର୍ଡ କରିଛି । ସେହିଭଳି ୫ମ ସବୁଠାରୁ ବଡ଼ ଟାର୍ଗେଟ ହାସଲ କରିବାରେ ସକ୍ଷମ ହୋଇଛି । ୱେଷ୍ଟଇଣ୍ଡିଜର ବିଜୟ ହିରୋ ହୋଇଛନ୍ତି କାଇଲ ମେୟର୍ସ । ନିଜର ପ୍ରଥମ ଟେଷ୍ଟରେ ସେ ଅପରାଜିତ ଦ୍ୱିଶତକ ହାସଲ କରିଛନ୍ତି ଏବଂ ଟିମକୁ ୩ ୱିକେଟରେ ବିଜୟ ଦେଇଛନ୍ତି । ମେୟର୍ସ ୩୧୦ଟି ବଲ ଖେଳି ୨୦ଟି ଚୌକା ଓ ୭ଟି ଛକା ମାରିଥିଲେ । ପ୍ରଥମ ପାଳିରେ ୪୦ ରନ କରିଥିବା ମେୟର୍ସ ମ୍ୟାଚରେ ମୋଟ ୨୫୦ ରନ କରିଥିଲେ । ସେ ଟେଷ୍ଟ ମ୍ୟାଚର ପଦାର୍ପଣରେ ଦ୍ୱିତୟ ସର୍ବାଧିକ ରନ ହାସଲ କରିବା ତାଲିକାରେ ନିଜର ନାମକୁ ଯୋଡ଼ିପାରିଛନ୍ତି । ମେୟର୍ସ ୪ର୍ଥ ୱିକେଟରେ ନୁକ୍ରମାହ ବୋନର (୮୬)ଙ୍କ ସହିତ ୨୧୬ ରନ ଯୋଡ଼ିଥିଲେ । ୧୯୮୪ ପରେ କୌଣସି ୱିକେଟ ପାଇଁ ୪ର୍ଥ ପାଳିରେ ୱେଷ୍ଟଇଣ୍ଡିଜର ଏହା ସବୁଠାରୁ ବଡ଼ ଭାଗିଦାରୀ । ମେୟର୍ସ ୪ର୍ଥ ପାଳିରେ ଦ୍ୱିଶତକ ହାସଲ କରିଥିବା ବିଶ୍ୱର ଷଷ୍ଠ ଖେଳାଳି । ଏତଦ ବ୍ୟତୀତ ପଦାର୍ପଣ ଟେଷ୍ଟ ମ୍ୟାଚରେ ସର୍ବାଧିକ ସ୍କୋର କରିବା ତାଲିକାରେ ୫ମ ସ୍ଥାନ ହାସଲ କରିଛନ୍ତି । ଏହା ପୂର୍ବରୁ ବାଂଲାଦେଶ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ପାଳିରେ ୪୩୦ ରନ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ଟିମ ପ୍ରଥମ ପାଳିରେ ୨୫୯ ରନରେ ଆଉଟ ହୋଇଥିଲା । ବାଂଲାଦେଶ ନିଜର ୨ୟ ପାଳିକୁ ୮ ୱିକେଟରେ ୨୨୩ ରନରେ ଘୋଷଣା କରିଦେଇଥିଲା । ଫଳରେ ୱେଷ୍ଟଇଣ୍ଡିଜକୁ ଏହି ଟେଷ୍ଟ ବିଜୟ ପାଇଁ ୩୯୫ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । ଏକଦା ୱେଷ୍ଟଇଣ୍ଡିଜ ୨ୟ ପାଳିରେ ମାତ୍ର ୫୯ ରନରେ ୩ଟି ୱିକେଟ ହରାଇଥିଲା