
ଭାରତୀୟ ସେନାର ନବ ନିଯୁକ୍ତ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ତଥା ଜଗତସିଂହପୁର ଜିଲ୍ଲା ଜୟବେଡ଼ା ଗାଁର ବାସିନ୍ଦାଚଣ୍ଡୀ ପ୍ରସାଦ ମହାନ୍ତି ଅଧିକରୁ ଅଧିକ ଯୁବକ ସେନାରେ ପ୍ରବେଶ ପାଇଁ ଆହ୍ୱାନ ଦେବାର ବହୁ ପୂର୍ବରୁ ଏହି ଜିଲ୍ଲାର ଜଣେ ଯୁବକ ବ୍ୟକ୍ତିଗତ ଉଦ୍ୟମରେ ମାଗଣା ଟ୍ରେନିଂ ଦେଇ ଭାରତ ପାଇଁ ଯବାନ ଗଢୁଛନ୍ତି ।
ନାଉଗାଁ ଥାନା ଅନ୍ତର୍ଗତ ଅରକୁଦ ଗ୍ରାମର ୨୮ ବର୍ଷର ଯୁବକ ସିଲୁ ନାୟକ ରାଉରକେଲାରେ ପୋଲିସ ତାଲିମ ନେଉଥିବା ବେଳେ ଦେଖିଲେ ଶାରୀରିକ ଦୃଷ୍ଟିରୁ ଅନେକ ଯୁବକ ଅନଫିଟ ହୋଇ ଚାକିରୀ ପାଇପାରୁନାହାନ୍ତି । ପୋଲିସ ଓ ସେନାରେ ପିଲାଙ୍କୁ ସଫଳ କରାଇବାର ସଂକଳ୍ପ ନେଇ ସିଲୁ ତାଲିମ ଛାଡି ଗାଁ କୁ ଫେରିଲେ ଓ ଦେବୀ ନଦୀ କୂଳେ ବାଲି ଉପରେ ଆରମ୍ଭ କଲେ ସେନା ବାରାକ ।
ବାଲି ପଠା ଉପରେ ଆରମ୍ଭ ହେଲା ଦୌଡ଼ କୁଦ । ହାଇ ଜମ୍ପ, ଲଙ୍ଗ ଜମ୍ପ,ଦଉଡି ସାହାଯ୍ୟରେ ଉପରକୁ ଆରୋହଣ ଅବତରଣ କରିବା ଅଭ୍ୟାସ । ସିଲୁଙ୍କ ବ୍ୟକ୍ତିଗତ ଉଦ୍ୟମରେ ଘରୋଇ ଭାବେ ଆରମ୍ଭ ହୋଇଥିବା ଏହି ମହାଗୁରୁ ବାଟାଲିୟନ ମାଗଣା ରେ ପିଲାଙ୍କୁ ଶାରୀରିକ କୌଶଳ ସହିତ ଲିଖିତ ପରୀକ୍ଷା ପାଇଁ ଆଵଶ୍ୟକୀୟ ସହଯୋଗ ଦେଉଛି । ୨୦୧୬ ମସିହାରୁ ଏହି ରେଜିମେଣ୍ଟ ରେ ପ୍ରଶିକ୍ଷଣ ନେଇ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଯୁବକ ଭାରତୀୟ ସେନା,ବିଏସଏଫ , ନେଭି, ଏୟାର ଫୋର୍ସ, ଆଇଟିବିପି,ଓ ପୋଲିସ ବିଭାଗ ରେ ନିଯୁକ୍ତି ପାଇପାରିଛନ୍ତି । ରୋହିଆ ଗାଁ ର ଯୁବକ ବିକାଶ ମହାନ୍ତି କହିଛନ୍ତି ନାୟକ ସାର ମୋ ଅସଜଡ଼ା କ୍ୟାରିୟର କୁ ସଜାଡି ଦେଲେ । ଅରଖୁଦ ର ପ୍ରଭାସ ନାୟକ ମହାଗୁରୁ ରେଜିମେଣ୍ଟ ର ତାଲିମ ରୁ ଚାକିରୀ ପାଇଥିବା ଦର୍ଶାନ୍ତି ।