
ଭୁବନେଶ୍ବର:୨୯/୦୪(ଅଶୋକ ସାହୁ): ଓଡ଼ିଆ ସିନେମାର ଆରମ୍ଭ ଦୁଃଖ, ଅପମାନ ଓ ଯନ୍ତ୍ରଣାରୁ। ଓଡ଼ିଆ ସିନେମା ହେଉଥିଲା ସତ, କିନ୍ତୁ ଓଡ଼ିଆଙ୍କ ହାତରେ ନିୟନ୍ତ୍ରଣ ନଥିଲା। ଓଡ଼ିଆ କଳାକାରଙ୍କୁ ସମ୍ମାନ ମିଳୁନଥିଲା। ଅନ୍ୟ ରାଜ୍ୟର ଆମଦାନି ଟିମ୍କୁ ନେଇ ସିନେମା ହେଉଥିଲା। ଅନେକ ଉତ୍ଥାନ ପତନ ଦେଇ ଓଡ଼ିଆ ସିନେମା ଗତି କରିଛି। କେବେ ଭଲ ସିନେମାର ପ୍ରଶଂସା ତ ପୁଣି କେବେ କପିପେଷ୍ଟ୍ କଳଙ୍କର ଟିକା ମଧ୍ୟ ପିନ୍ଧିଛି। ଏବେ ଅଣ୍ଟା ସଳଖୁଛି। ନୂଆ ପିଢ଼ି ଭଲ କାହାଣୀକୁ ନେଇ ସିନେମା ନିର୍ମାଣ କରୁଛନ୍ତି। ହେଲେ ବୈଷୟିକ ଜ୍ଞାନକୌଶଳକୁ ଯୋଡ଼ି ପାରୁନାହାନ୍ତି। ଏଥିପାଇଁ ପ୍ରୟାସ ଚାଲିଛି। ୨୦୨୬ ପରେ ଓଡ଼ିଆ ଚଳଚ୍ଚିତ୍ର ରୂପରେଖ ବଦଳିବାକୁ ଯାଉଛି। ଯାହାଫଳରେ ଓଡ଼ିଆ ସିନେମା ଶିଳ୍ପ ଭାରତୀୟ ସିନେମାକୁ ବାଟ ଦେଖାଇବ। ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ସ୍ବାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତୃତାମାଳାରେ ଏକବିଂଶତିତମ ବକ୍ତୃତା ପ୍ରଦାନ କରି ଏହା କହିଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ନନ୍ଦ ‘ଆମ ଚଳଚ୍ଚିତ୍ର: ଆମ ଅସ୍ମିତା’ ବିଷୟ ଉପରେ କହିଲେ ଯେ ପ୍ରଥମ ଚଳଚ୍ଚିତ୍ର ‘ସୀତା ବିବାହ’ର ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଚିତ୍ରନାଟ୍ୟ ଓଡ଼ିଆ କରି ନ ଥିଲେ। ଏହାପରେ ୧୭ ବର୍ଷ ଯାଏଁ କୌଣସି ଚଳଚ୍ଚିତ୍ର ନିର୍ମାଣ ହେଲାନାହିଁ। ସେତେବେଳେ ନାୟିକାଙ୍କଠାରୁ ଆରମ୍ଭ କରି ସ୍ପଟ୍ ବୟ ବେଙ୍ଗଲରୁ ଆସୁଥିଲେ। ବେଙ୍ଗଲ ନନ୍ଦନ ଷ୍ଟୁଡିଓରେ ସୁଟିଂ କରିବାକୁ ଗଲେ ସେମାନେ ଓଡ଼ିଆ କଳାକାରଙ୍କୁ ଅପମାନିତ କରୁଥିଲେ। ପରେ ଓଡ଼ିଆ ସିନେମାକୁ ଶିଳ୍ପ ମାନ୍ୟତା ମିଳିଲା। ହେଲେ ସିନେମା ନିର୍ମାଣ ପାଇଁ କେହି ଋଣ ଦେଲେ ନାହିଁ। ମୁଁ ଶପଥ କଲି ଓଡ଼ିଆ ସିନେମାକୁ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ କରିବି। ସେତେବେଳେ ଗୋଟିଏ ଫିଲ୍ମ ପିଛା ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୬ ଲକ୍ଷ ଖର୍ଚ୍ଚ କରି ‘ଶେଷ ଶ୍ରାବଣ’ ନିର୍ମାଣ ହେଲା। ତାହା ୧୩ ଲକ୍ଷ ରୋଜଗାର କଲା। କଲିକତାର ଯେଉଁ ନନ୍ଦନ ଷ୍ଟୁଡିଓରେ ମୋତେ ମାଡ଼ ମରାଯାଇଥିଲା, ଦିନେ ସେହି ଷ୍ଟୁଡିଓରେ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମିଳିଥିଲା। ବେଙ୍ଗଲରେ କଳାଧଳା ସିନେମା ହେଉଥିବା ବେଳେ ଓଡ଼ିଶାରେ ସିନେମା ସ୍କୋପ୍ରେ ଫିଲ୍ମ ହେଲା। କିନ୍ତୁ ପରେ ପରେ ଅନ୍ୟ ରାଜ୍ୟରେ ହିଟ୍ ହୋଇଥିବା ଫିଲ୍ମକୁ ଓଡ଼ିଆରେ ରିମେକ୍ କରାଗଲା। ଯାହା ଓଡ଼ିଆ ସିନେମାର ଏକ କଳଙ୍କିତ ଅଧ୍ୟାୟ। ଏବେ ନୂଆ ପିଢ଼ି ମୌଳିକ କାହାଣୀକୁ ନେଇ ସିନେମା ତିଆରି କରୁଛନ୍ତି। ହେଲେ ତାହା ବ୍ୟାବସାୟିକ ସଫଳତା ପାଉନାହିଁ। ଭଲ କାହାଣୀ ସହ ଟେକ୍ନୋଲୋଜିକୁ ଯୋଡ଼ିବାକୁ ପଡ଼ିବ। ପୂର୍ବତନ ମନ୍ତ୍ରୀ କିମ୍ବା ସାଂସଦ ଭାବେ ନୁହେଁ, ମୋ ପରିଚୟ ମୁଁ ଗୋଟେ ନାଟୁଆ। ମୋତେ ଓଡ଼ିଶା ଯାହା ଦେଇଛି, ମୁଁ ବଞ୍ଚିଥିବା ସମୟରେ ଋଣ ପରିଶୋଧ କରିବା ସହ ପୂର୍ବ ଅପମାନର ବଦଲା ନେବାକୁ ପ୍ରସ୍ତୁତ ହେଉଛି। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଶାରେ ଅହଙ୍କାରର ପରାଜୟ ହୋଇଛି। ହେଲେ ଅସ୍ମିତାର ବିଜୟ ହୋଇନାହିଁ। ଓଡ଼ିଶାର ଅସ୍ମିତା ପ୍ରଭୁ ଜଗନ୍ନାଥ। ତାଙ୍କ ଛଡ଼ା ଅନ୍ୟବାଟ କିଛି ନାହିଁ। ମଧୁବାବୁ ପରିସ୍ଥିତିରେ ପଡ଼ି ସିନା ଧର୍ମ ପରିବର୍ତ୍ତନ କରିଥିଲେ, କିନ୍ତୁ ନିଜର ଓକିଲାତି ବିଦ୍ୟା ପ୍ରୟୋଗ କରି ପ୍ରଭୁ ଜଗନ୍ନାଥଙ୍କ ମାନ ସମ୍ମାନ ରକ୍ଷା କରିଛନ୍ତି। ମଧୁବାବୁ ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରମାଣ। ଅନ୍ୟପଟେ ଓଡ଼ିଶାରୁ ଅଲଗା ହୋଇ ଅନ୍ୟ ଭୂଖଣ୍ଡ ତଥା ପ୍ରବାସରେ ରହୁଥିବା ଓଡ଼ିଆମାନଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ମାଧ୍ୟମରେ ଆତ୍ମିକ ଭାବେ ଯୋଡ଼ିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ‘ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ ଅତିଥି ପରିଚୟ ଓ ସ୍ବାଗତ ବକ୍ତବ୍ୟ ପ୍ରଦାନ ସହ ମଧୁବାବୁଙ୍କ ତ୍ୟାଗ ଓ ସମର୍ପଣ ଭାବ ଉପରେ କହିଥିଲେ। ‘ଆମ ଓଡ଼ିଶା’ର ପ୍ରକାଶନୀ ସମ୍ପାଦକ ଅସିତ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସୁରେଶ ଓ ସାଥୀ ମଧୁବାବୁଙ୍କ ସ୍ବରଚିତ କବିତା ଗାନ କରିଥିଲେ। ‘ଆମ ଓଡ଼ିଶା’ର ନୂତନ ସ୍ବାଗତ ସଙ୍ଗୀତକୁ ପ୍ରଶାନ୍ତ ନନ୍ଦ ଉନ୍ମୋଚନ କରିଥିଲେ।