ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ପ୍ରସଙ୍ଗ: ଟଙ୍କା ଫେରିପାଇବେ ୯୫୩୭ ଜମାକାରୀ

ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ପ୍ରସଙ୍ଗ: ଟଙ୍କା ଫେରିପାଇବେ ୯୫୩୭ ଜମାକାରୀ

ଭୁବନେଶ୍ବର:୨୯/୦୪: ବହୁ ବର୍ଷର ଲଢ଼େଇ ପରେ ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୯୫୩୭ ଜଣ ଜମାକାରୀଙ୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମେ’ ୧୫, ୨୦୧୫ରେ ଭୁବନେଶ୍ବର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ସମାପନ ହୋଇ ଯାଇଥିବାରୁ ଏହି ତାରିଖ ସୁଦ୍ଧା ଯେଉଁ ଜମାକାରୀଙ୍କର ବ୍ୟାଙ୍କରେ ‌ସୁଧ ମୂଳ ମିଶାଇ ଯେତିକି ଟଙ୍କା ଥିଲା ସେତିକି ଟଙ୍କା ଫେରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍ ମେ’ ୧୫, ୨୦୧୫ରୁ ଆଜି ପର୍ଯ୍ୟନ୍ତ (ପ୍ରାୟ ୧୦ବର୍ଷ) ବ୍ୟାଙ୍କରେ ଥିବା ଟଙ୍କା ଉପରେ ଜମାକାରୀଙ୍କୁ କୌଣସି ସୁଧ ମିଳିବନି। ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ଜଣ ଜମାକାରୀଙ୍କୁ ପ୍ରତୀକାତ୍ମକ ଚେକ୍ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ୧୧୭ଜଣ ଜମାକାରୀଙ୍କୁ ୨କୋଟି ୮୦ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ବ୍ୟାଙ୍କର ଜମା ଅର୍ଥ ବାବଦକୁ ସମବାୟ ବିଭାଗ ପାଖରେ ଏବେ ପ୍ରାୟ ୧୩କୋଟି ଟଙ୍କା ଥିବାରୁ ପର୍ଯ୍ୟାୟକ୍ରମେ ମୋଟ୍ ୯୫୩୭ ଜଣ ଜମାକାରୀଙ୍କୁ ୨୦କୋଟି ୯୬ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ଢେଙ୍କାନାଳ, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କଗୁଡ଼ିକର ମଧ୍ୟ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ। ଏହି ୪ଟି ବ୍ୟାଙ୍କର ୧୭,୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଦୀର୍ଘ ଦିନର ପରିଚାଳନାଗତ ତ୍ରୁଟି ଏବଂ ଅଧିକ ଋଣ ଭାର ଯୋଗୁ ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା। ୨୦୧୫ରେ ବ୍ୟାଙ୍କ ବନ୍ଦ ହେବା ବେଳକୁ ୧୧,୬୭୩ ଜଣ ଜମାକାରୀଙ୍କ ୩୩ କୋଟି ୮୭ ଲକ୍ଷ ଟଙ୍କା ଫେରସ୍ତ ହେବାର ଥିଲା। ଇତିମଧ୍ୟରେ ୨୭୦୯ ଜଣ ଜମାକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୨ କୋଟି ୭୮ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରସ୍ତ ପାଇ ପାରିନଥିଲେ। ଏନେଇ ଜମାକାରୀମାନେ ମୋତେ ଅଭିଯୋଗ ପ୍ରକୋଷ୍ଠରେ ଭେଟି ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ। ଏନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ସମବାୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲି। ଆଜିଠାରୁ ତାହା କାର୍ଯ୍ୟକାରୀ ହେଲା। ପୂର୍ବ ସରକାର ଅମଳରେ ଅଳ୍ପ ଅଳ୍ପ ଟଙ୍କା ଫେରସ୍ତ କରାଯାଇଥିଲା। ଏବେ କିନ୍ତୁ ସମସ୍ତଙ୍କୁ ଏକସଙ୍ଗେ ଟଙ୍କା ଫେରାଯିବ।ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ମଧୁ ବାବୁ ଓଡ଼ିଶାରେ ସମବାୟ ଆନ୍ଦୋଳନ ଆରମ୍ଭ କରିଥିଲେ। ଓଡ଼ିଶାରେ ଏବେ ପ୍ରାୟ ୫୦ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନ ସହିତ ଜଡ଼ିତ। ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ସହିତ ଯୋଡ଼ିବା ଆମର ଲକ୍ଷ୍ୟ। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ପାକ୍ସ, ଲ୍ୟାମ୍ପ୍‌ସ ଗଠନ କରାଯିବାର ମଧ୍ୟ ଲକ୍ଷ୍ୟ ରହିଛି। ରାଜ୍ୟରେ ୨୭୧୧ଟି ପାକ୍‌ସ ଥିବାବେଳେ ବର୍ତ୍ତମାନ ଆଉ ୧୫୪୨ଟି ନୂଆ ପାକ୍ସ ଗଠନ କରାଯାଇଛି। ଏଇ ନୂଆ ପାକ୍ସଗୁଡ଼ିକୁ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳ ପୁଞ୍ଜି ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ ଭାରତୀୟ ସଂସ୍କୃତିର ଚିନ୍ତାଧାରା ‘ବହୁଜନ ହିତାୟ, ବହୁଜନ ସୁଖାୟ’ର ମୌଳିକ ଆଦର୍ଶରେ ସମବାୟଗୁଡ଼ିକ ଗଠନ କରାଯାଇଛି। ପୂର୍ବ ସରକାର ଜମାକାରୀଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରିନଥିଲେ। ତେବେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଏକ ଦରଦୀ ହୃଦୟର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜମାକାରୀଙ୍କ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଜି ସେହି ପ୍ରକ୍ରିୟା ଆରମ୍ଭ ହୋଇଛି। ବୈଠକରେ ବିଭାଗୀୟ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଏହି ଅବସରରେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ଗୁଜୁରାଟ ଆନନ୍ଦସ୍ଥିତ ତ୍ରିଭୂବନ ସମବାୟ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଇର୍‍ମା ସ୍କୁଲ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ନିବନ୍ଧକ ସିଦ୍ଧାର୍ଥ ଦାସ ଏବଂ ଇର୍‍ମା ସ୍କୁଲର ନିର୍ଦ୍ଦେଶକ ଉମାକାନ୍ତ ଦାଶ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ସମବାୟ ସଂସ୍ଥାଗୁଡ଼ିକର ସୁପରିଚାଳନା ପାଇଁ ଏହା ଏକ ନଲେଜ୍‌ ପାର୍ଟନର ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମ ପରେ କେତେକ ଜମାକାରୀ କହିଛନ୍ତି, ଆମକୁ ସରକାର ଏବେ ମୂଳ ଟଙ୍କା ଫେରାଇଛନ୍ତି। ହେଲେ ଆମେ କଷ୍ଟ ଉପାର୍ଜିତ ଟଙ୍କା ଉପରେ କାହିଁକି ଗତ ୧୦ ବର୍ଷର ସୁଧ ମିଳିବନି? ଆମେ ଏ ନେଇ ଲଢ଼େଇ ଜାରି ରଖିବୁ। ଆମକୁ ସରକାର ୧୦ ବର୍ଷର ସୁଧ ବି ଦିଅନ୍ତୁ।

Leave a Reply

Your email address will not be published. Required fields are marked *