
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୭ତମ ମୁକାବିଲାରେ ପଂଜାବ କିଙ୍ଗ୍ସ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟ୍ରେ ପରାସ୍ତ କରିଛି । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ପଂଜାବ କିଙ୍ଗ୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା । ରୋହିତଙ୍କ ଟିମ୍ ୨୦ ଓଭରରେ ୬ଟି ୱିକେଟ ହରାଇ ୧୩୧ ରନ୍ କରିଥିଲା । ଲକ୍ଷ୍ୟକୁ ଟାର୍ଗେଟ କରି ପଂଜାବ ୧୭.୪ ଓଭରରେ ଗୋଟିଏ ୱିକେଟ ହରାଇ ଏହା ହାସଲ କରିଥିଲା ।
ପଂଜାବ ପାଇଁ ଅଧିନାୟକ ଲୋକେଶ ରାହୁଲ ୫୨ଟି ବଲ ଖେଳି ୩ଟି ଚୌକା ଓ ୩ ଛକା ବଳରେ ଅପରାଜିତ ୬୦ ରନ କରିଥିଲେ । ମୟଙ୍କ ଅଗ୍ରୱାଲ ୨୫ ରନ୍ ଓ କ୍ରିସ ଗେଲ ୩୫ଟି ବଲ ଖେଳି ୫ଟି ଚୌକା ଏବଂ ୨ଟି ଛକା ବଳରେ ଅପରାଜିତ ୪୩ ରନ୍ କରିଥିଲେ । ମୁମ୍ବାଇ ପାଇଁ ରାହୁଲ ଚାହର ଗୋଟିଏ ୱିକେଟ ନେଇଥିଲେ ।
ପ୍ରଥମ ଇନିଂସରେ ମୁମ୍ବାଇ ଇଣ୍ଡିଆନ୍ସ ଲାଗି ଅଧିନାୟକ ରୋହିତ ଶର୍ମା ୫୨ଟି ବଲ ଖେଳି ୫ ଚୌକା ଓ ୨ ଛକା ବଳରେ ନିଜର ବ୍ୟକ୍ତିଗତ ରନ୍କୁ ୬୩ ରନ୍ରେ ପହଂଚାଇଥିଲେ । ସୂର୍ଯ୍ୟକୁମାର ଯାଦବ ୨୭ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୩ ରନ୍ ଯୋଡ଼ିଥିଲେ । ପଂଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିବା ରବି ବିଷ୍ଣୋୟୀ ଓ ମହମ୍ମଦ ସାମି ୨-୨ ୱିକେଟ ନେଇଥିଲେ । ଦୀପକ ହୁଡ଼ା ଓ ଅର୍ଶଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିିଳିଥିଲା ।